Psalms 83

ଇସ୍ରାଏଲର ଶତ୍ରୁମାନଙ୍କର ପରାଜୟ ପାଇଁ ପ୍ରାର୍ଥନା

ଗୀତ, ଆସଫର ଗୀତ।

1ହେ ପରମେଶ୍ୱର, ତୁମ୍ଭେ ମୌନୀ ହୋଇ ରୁହ ନାହିଁ;
ହେ ପରମେଶ୍ୱର, ନୀରବ ଓ ନିରସ୍ତ ହୁଅ ନାହିଁ।
2କାରଣ ଦେଖ, ତୁମ୍ଭ ଶତ୍ରୁଗଣ ଗଣ୍ଡଗୋଳ କରନ୍ତି
ଓ ତୁମ୍ଭଙ୍କୁ ଘୃଣା କରିବା ଲୋକମାନେ ମସ୍ତକ ଉଠାଇ ଅଛନ୍ତି।

3ସେମାନେ ତୁମ୍ଭ ଲୋକମାନଙ୍କ ବିରୁଦ୍ଧରେ କୁଟିଳ ମନ୍ତ୍ରଣା କରନ୍ତି

ଓ ତୁମ୍ଭର ଗୁପ୍ତ ଲୋକମାନଙ୍କ ପ୍ରତିକୂଳରେ ପରସ୍ପର ପରାମର୍ଶ କରନ୍ତି।
4ସେମାନେ କହିଅଛନ୍ତି, “ଇସ୍ରାଏଲର ନାମ ଯେପରି
ଆଉ ସ୍ମରଣରେ ନ ରହିବ, ଏଥିପାଇଁ ଆସ, ଆମ୍ଭେମାନେ
ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇ ଥିବାକୁ ନ ଦେଉ।”
5କାରଣ ସେମାନେ ଏକଚିତ୍ତ ହୋଇ ପରାମର୍ଶ କରିଅଛନ୍ତି;

6ଇଦୋମର ତମ୍ବୁ-ନିବାସୀମାନେ, ଇଶ୍ମାୟେଲୀୟମାନେ, ମୋୟାବ, ହାଗରୀୟମାନେ,

7ଗବାଲ, ଅମ୍ମୋନ, ଅମାଲେକ୍‍ ଓ ସୋରନି ବାସୀମାନଙ୍କ ସହିତ
ପଲେଷ୍ଟୀୟା, ସମସ୍ତେ ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି।

8ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଅଛି;

ସେମାନେ ଲୋଟର ବଂଶକୁ ସାହାଯ୍ୟ କରିଅଛନ୍ତି। [ସେଲା]

9ମିଦୀୟନ ଦେଶ ପ୍ରତି, କୀଶୋନ୍‍ ନଦୀ ନିକଟରେ ସୀଷରା

ପ୍ରତି, ଯାବୀନ୍‍ ପ୍ରତି ଯେରୂପ, ସେରୂପ ସେମାନଙ୍କ ପ୍ରତି କର।
10ସେମାନେ ଐନ୍‍-ଦୋର ନିକଟରେ ବିନଷ୍ଟ ହେଲେ;
ସେମାନେ ଭୂମି ପାଇଁ ଖତ ସ୍ୱରୂପ ହେଲେ।

11ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗକୁ ଓରେବ୍‍ ଓ ସେବ୍‍ର ସମାନ,

ସେମାନଙ୍କ ଅଧିପତି ସମସ୍ତଙ୍କୁ ହିଁ ସେବହ ଓ ସଲମୁନ୍ନର ସମାନ କର;
12ସେମାନେ କହିଲେ, “ଆସ, ଆମ୍ଭେମାନେ
ପରମେଶ୍ୱରଙ୍କ ନିବାସ-ସ୍ଥାନସବୁ ଆପଣା ଆପଣା ଅଧିକାରରେ ନେଉ।”

13ହେ ମୋହର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ

ଘୂର୍ଣ୍ଣାୟମାନ ଧୂଳି ପରି, ବାୟୁ ସମ୍ମୁଖରେ କୁଟା ପରି କର।
14ଯେଉଁ ଅଗ୍ନି ବନକୁ ଦଗ୍ଧ କରେ ଓ
ଯେଉଁ ଅଗ୍ନିଶିଖା ପର୍ବତଗଣକୁ ପ୍ରଜ୍ୱଳିତ କରେ;
15ତାହା ପରି ତୁମ୍ଭେ ଆପଣା ଝଡ଼ ଦ୍ୱାରା ସେମାନଙ୍କ ପଛେ ପଛେ ଗୋଡ଼ାଅ
ଓ ଆପଣା ପ୍ରଚଣ୍ଡ ବତାସ ଦ୍ୱାରା ସେମାନଙ୍କୁ ଭୟଗ୍ରସ୍ତ କର।

16ହେ ସଦାପ୍ରଭୁ, ସେମାନେ ଯେପରି ତୁମ୍ଭ ନାମ ଅନ୍ୱେଷଣ କରିବେ,

ଏଥିପାଇଁ ସେମାନଙ୍କ ମୁଖକୁ ଲଜ୍ଜାରେ ପୂର୍ଣ୍ଣ କର;
17ସେମାନେ ସଦାକାଳ ଲଜ୍ଜିତ ଓ ବିହ୍ୱଳ ହେଉନ୍ତୁ;
ସେମାନେ ହତାଶ ଓ ବିନଷ୍ଟ ହେଉନ୍ତୁ;

ତହିଁରେ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ,

କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ।
18

Copyright information for OriULB